ଲଗାଣ ବର୍ଷାରେ ବଢ଼ିଲା ପାହାଡ଼ ଧସିବା ଆଶଙ୍କା, ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ରାସ୍ତା ସିଲ୍
ଗଞ୍ଜାମ: ଲଗାଣ ବର୍ଷା ଯୋଗୁଁ ପୁଣି ତାରାତାରିଣୀ ପାହାଡ଼ରୁ ବଡ଼ ବଡ଼ ପଥର ଖସିବା ଘଟଣା ସାମ୍ନାକୁ ଆସିଛି। ଗୁରୁବାର ଖରାବେଳେ ପାହାଡ଼ରୁ ଏକ ବିରାଟ ପଥର ଖସିଥିବା ବେଳେ ସନ୍ଧ୍ୟା ସମୟରେ ପୁଣି ଆଉ ଏକ ପଥର ଖସିଥିବା ଜଣାପଡ଼ିଛି।
ଲଗାତାର ବର୍ଷା ଯୋଗୁଁ ପାହାଡ଼ ଅଞ୍ଚଳରେ ମାଟି ଓ ପଥର ଢିଲା ହୋଇପଡ଼ିଥିବାରୁ ବାରମ୍ବାର ପଥର ଖସୁଥିବା ଦେଖାଯାଉଛି। ଏହାକୁ ନେଇ ତାରାତାରିଣୀ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଛି।
ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ତାରାତାରିଣୀ ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିରକୁ ଯାତାୟାତ କରୁଥିବା ରାସ୍ତାକୁ ସିଲ୍ କରାଯାଇଛି। ଫଳରେ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଏହି ରାସ୍ତାରେ ଯାତାୟାତ ଉପରେ କଟକଣା ରହିଛି।
ସେପଟେ ଗଭୀର ଅବପାତଜନିତ ଲଗାଣ ବର୍ଷା ଯୋଗୁଁ ତାରାତାରିଣୀ ପାହାଡ଼ରେ ଆହୁରି ପଥର ଖସିବା ଓ ପାହାଡ଼ ଧସିବାର ଆଶଙ୍କା ବଢ଼ିଛି। ତେଣୁ ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ପାହାଡ଼ ଅଞ୍ଚଳକୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।







