🟢 ବ୍ରେକିଂ ନ୍ୟୁଜ

ସାମ୍ବାଦିକଙ୍କ ସ୍ୱାଭିମାନ, ସ୍ୱାର୍ଥ ଓ ସୁରକ୍ଷା ଦାବିରେ ୧୨ରେ ଶାନ୍ତିପୂର୍ଣ୍ଣ ଧାରଣା ଆନ୍ଦୋଳନରେ ସାମିଲ ହେବ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ


ବାରିପଦା, ମୟୂରଭଞ୍ଜ: ସାମ୍ବାଦିକଙ୍କ ସ୍ୱାଭିମାନ, ସ୍ୱାର୍ଥ ଓ ସୁରକ୍ଷା ଦାବିକୁ ନେଇ ଆସନ୍ତା ଅକ୍ଟୋବର ୧୨ ତାରିଖ ସୋମବାର ଦିନ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଶାନ୍ତିପୂର୍ଣ୍ଣ ଧାରଣା ଅନୁଷ୍ଠିତ ହେବ। ଏହି ଆନ୍ଦୋଳନରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ମଧ୍ୟ ସାମିଲ ହେବାକୁ ସମ୍ମତି ପ୍ରକାଶ କରିଛି।


ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ମିଳିତ ମହାମଞ୍ଚ, ବାରିପଦାର ଆହ୍ୱାନକ୍ରମେ ବିଭିନ୍ନ ସାମ୍ବାଦିକ ସଂଗଠନର ସହମତିରେ ଏହି କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଆସନ୍ତା ୧୨ ତାରିଖ ଦିନ ସକାଳ ୧୦ଟାରେ ବାରିପଦାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ। ଏଥିପାଇଁ ବିଧିବଦ୍ଧ ପୋଲିସ ଅନୁମତି ନିଆଯାଇଥିବା ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।


ଏହି ଧାରଣାରେ ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ), ଉତ୍କଳ ସାମ୍ବାଦିକ ସଂଘ, ରାଜ୍ୟ ସାମ୍ବାଦିକ ସଂଘ (ଏସ୍‌ୟୁଜେ), କଳିଙ୍ଗ ପେସାଦାର ସାମ୍ବାଦିକ ସଂଘ, ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ, ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ପରିବାର ଏବଂ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ସମେତ ବିଭିନ୍ନ ସଂଗଠନର ସଦସ୍ୟମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।


ସାମ୍ବାଦିକଙ୍କ ଅଧିକାର, ସମ୍ମାନ ଓ ସୁରକ୍ଷାକୁ ଗୁରୁତ୍ୱ ଦେଇ ଦଳମତ ଓ ସଂଘମତ ନିର୍ବିଶେଷରେ ଜିଲ୍ଲାର ସମସ୍ତ ସଂଗ୍ରାମୀ ସାମ୍ବାଦିକଙ୍କୁ ଏହି ଧାରଣାରେ ସାମିଲ ହେବାକୁ ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ମିଳିତ ମହାମଞ୍ଚ ପକ୍ଷରୁ ଆହ୍ୱାନ ଦିଆଯାଇଛି।


ସାମ୍ବାଦିକଙ୍କ ସ୍ୱାଭିମାନ ଓ ସୁରକ୍ଷା ପାଇଁ ଏକତାର ସ୍ୱର ଉଠାଇବାକୁ ଆହ୍ୱାନ।

ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ମିଳିତ ମହାମଞ୍ଚ, ବାରିପଦା, ମୟୂରଭଞ୍ଜ।

Previous Post Next Post
Magspot Blogger Template

نموذج الاتصال