ଗଞ୍ଜାମ ଉପକୂଳରେ ‘ସାଗର କବଚ’ ସମରାଭ୍ୟାସ
ଗଞ୍ଜାମ: ଉପକୂଳ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଗଞ୍ଜାମ ଉପକୂଳରେ ଆରମ୍ଭ ହୋଇଛି ଦୁଇଦିନିଆ ‘ସାଗର କବଚ’ ସମରାଭ୍ୟାସ। ସମୁଦ୍ରପଥରେ ସମ୍ଭାବ୍ୟ ଅନୁପ୍ରବେଶକୁ ରୋକିବା ସହ ଯେକୌଣସି ଆପତ୍କାଳୀନ ପରିସ୍ଥିତିର ମୁକାବିଲା ନେଇ ଏହି ଅଭ୍ୟାସ କରାଯାଉଛି।
ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ସମେତ ଗଞ୍ଜାମ, ଛତ୍ରପୁର, ରମ୍ଭା ଓ ଚମାଖଣ୍ଡି ପୁଲିସ ପକ୍ଷରୁ ସ୍ଥଳପଥ ଓ ଜଳପଥରେ କଡ଼ା ଯାଞ୍ଚ ଏବଂ ପେଟ୍ରୋଲିଂ କରାଯାଉଛି। ଏହି ମିଳିତ ସମରାଭ୍ୟାସରେ ପୁଲିସ ସହ ମତ୍ସ୍ୟ ବିଭାଗ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଓ କୋଷ୍ଟ ଗାର୍ଡ ମଧ୍ୟ ସାମିଲ ହୋଇଛନ୍ତି। ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧୀନରେ ପ୍ରୟାଗୀଠାରୁ ହରିପୁର ପର୍ଯ୍ୟନ୍ତ ପ୍ରାୟ ୪୦ କିଲୋମିଟର ଉପକୂଳ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପେଟ୍ରୋଲିଂ ଓ ଯାଞ୍ଚ ଜୋରଦାର କରାଯାଇଛି।
ସମରାଭ୍ୟାସରେ ‘ବ୍ଲୁ ଟିମ୍’ ଓ ‘ରେଡ୍ ଟିମ୍’ ଗଠନ କରାଯାଇ ସମ୍ଭାବ୍ୟ ଅନୁପ୍ରବେଶ ଘଟଣାର ମୁକାବିଲା ନେଇ ବିଭିନ୍ନ ପରିସ୍ଥିତିର ଅଭ୍ୟାସ କରାଯାଉଛି। ସମୁଦ୍ରରେ ଯାତାୟାତ କରୁଥିବା ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ସଚେତନ କରାଯାଇଛି। ଅଜଣା ବ୍ୟକ୍ତି କିମ୍ବା କୌଣସି ସନ୍ଦେହଜନକ ଗତିବିଧି ଦେଖିଲେ ତୁରନ୍ତ ପୁଲିସକୁ ଜଣାଇବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଉଛି।
ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବଢ଼ାଇବା ଏବଂ ସମୁଦ୍ରପଥରେ ସମ୍ଭାବ୍ୟ ଅନୁପ୍ରବେଶକୁ ରୋକିବା ହେଉଛି ‘ସାଗର କବଚ’ ସମରାଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ।
ଗଞ୍ଜାମ ଉପକୂଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଥିବା ବେଳେ ସମୁଦ୍ରଠାରୁ ସ୍ଥଳଭାଗ ପର୍ଯ୍ୟନ୍ତ ସୁରକ୍ଷାକର୍ମୀଙ୍କ ତୀକ୍ଷ୍ଣ ନଜର ରହିଛି।



